ଦେବର୍ଷି ନାରଦ କହୁଛନ୍ତି :-ଏକମାତ୍ର ମୋହ ହିଁ ହେଉଛି ମନୁଷ୍ୟର ଅସନ୍ତୋଷର ପ୍ରକୃତ କାରଣ । ସଂସାରରେ ମନୁଷ୍ୟ ନିଜର କର୍ମାନୁସାରେ ହିଁ ମାନ - ଅପମାନ ବା ସୁଖ - ଦୁଃଖ ଆଦି ପାଇଥାଏ । ଭଗବାନଙ୍କ ଗତି ବଡ ବିଚିତ୍ର । ତାହା ବିଚାର କରି, ଦୈବବଶତଃ ଯେକୌଣସି ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡୁ ନା କାହିଁକି, ବୁଦ୍ଧିମାନ ମନୁଷ୍ୟ ସେଥିରେ ସନ୍ତୁଷ୍ଟ ହୋଇ ରହିବା ଉଚିତ । ବିଧାତାଙ୍କ ବିଧାନ ଅନୁସାରେ ସୁଖ ବା ଦୁଃଖ ଯାହା ମିଳିଲା , ସେଥିରେ ଚିତ୍ତକୁ ସନ୍ତୁଷ୍ଟ କରି ରଖିବା ଉଚିତ । ଏପରି ସନ୍ତୁଷ୍ଟ ହୋଇ ରହୁଥିବା ପୁରୁଷ ମୋହମୟ ସଂସାରକୁ ପାରି ହୋଇଯାଏ । ମନୁଷ୍ୟ ନିଜଠାରୁ ଅଧିକ ଗୁଣବାନ୍ ପୁରୁଷଙ୍କୁ ଦେଖି ପ୍ରସନ୍ନ ହେବା ଉଚିତ ; ନିଜଠାରୁ କମ୍ ଗୁଣବାନ୍ ପ୍ରାଣୀ ପ୍ରତି ଦୟାଶୀଳ ହେବା ଉଚିତ ଏବଂ ନିଜର ସମାନ ଗୁଣବାନଙ୍କ ସଙ୍ଗେ ମିତ୍ର ପରି ବ୍ୟବହାର କରିବା ଉଚିତ । ଏପରି କଲେ ମନୁଷ୍ୟ କଦାପି ଦୁଃଖରେ ଭାଙ୍ଗି ପଡିବ ନାହିଁ । ।। ୪/୮/୨୯-୩୪ ।।ମୁଁ ହିଁ ସମସ୍ତ ଯଜ୍ଞ ଓ ତପସ୍ୟାର ଭୋକ୍ତା , ସମସ୍ତ ଲୋକର ସ୍ବାମୀ ଏବଂ ପ୍ରାଣୀମାନଙ୍କର ଅହୈତୁକୀ ମଙ୍ଗଳବିଧାନକାରୀ -- ଏହିପରି ନିଜର ମହତ୍ତ୍ଵ କଥା କହି ଅର୍ଜୁନଙ୍କର ତଥା ମନୁଷ୍ୟମାନଙ୍କର ମଙ୍ଗଳ କରିବା ପାଇଁ ଭଗବାନ ପଞ୍ଚମ ଅଧ୍ୟାୟରେ ଅର୍ଜୁନଙ୍କ ଆଗରେ ସର୍ବଲୋକମହେଶ୍ବର ରୂପେ ପ୍ରକଟ ହୋଇଛନ୍ତି ।
